
ସୁନାବେଡା, ୦୮/୦୯: ସୁନାବେଡା ପୌର ପରିଷଦର ୨୦ ନମ୍ବର ୱାର୍ଡରେ ଆଜି ସେମିଲିଗୁଡା ତହସିଲ ଓ ପୌର ପରିଷଦର କର୍ମଚାରୀମାନେ ମିଳିତ ଭାବେ ଏକ ସର୍ଭେ କରିବାକୁ ଯାଇଥିଲେ। କିନ୍ତୁ, ଏହି ସର୍ଭେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିଛି।
ଜଣେ ମହିଳା ବାସିନ୍ଦା କହିଛନ୍ତି, “ଆମେ ଏଠାରେ ପ୍ରାୟ ୩୦ ବର୍ଷ ଧରି ରହି ଆସୁଛୁ, କିନ୍ତୁ ସରକାରଙ୍କ ତରଫରୁ ଆମେ କୌଣସି ସୁବିଧା ପାଇନାହୁଁ। ଏବେ ସରକାରୀ ଅଧିକାରୀମାନେ ଆସି ଆମ ଘର ମାପୁଛନ୍ତି, ଯାହା ଆମକୁ ଭୟଭୀତ କରୁଛି। ଆଗାମୀ ଦିନରେ କିଛି ଅଘଟଣ ଘଟିବ ବୋଲି ଆମେ ଚିନ୍ତା କରୁଛୁ।”
ସ୍ଥାନୀୟ ବାସିନ୍ଦାମାନେ ଆତଙ୍କିତ ହୋଇ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଧମକ ଦେଇଛନ୍ତି। ସେମିଲିଗୁଡା ତହସିଲଦାର ଦେବବ୍ରତ କରାଟିଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା ବେଳେ ସେ କହିଛନ୍ତି ଯେ, ଏହା ଏକ ଗ୍ରିଭେନ୍ସ (ଅଭିଯୋଗ) ସମ୍ବନ୍ଧୀୟ ବିଷୟ।
ଅନ୍ୟପକ୍ଷରେ, ସୁନାବେଡା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ କହିଛନ୍ତି, “୨୦ ନମ୍ବର ୱାର୍ଡରେ ସର୍ଭେ ଚାଲିଛି ଏବଂ ଆମେ ସେମିଲିଗୁଡା ତହସିଲଦାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କୁ ସାହାଯ୍ୟ କରୁଛୁ।”
ବାସିନ୍ଦାମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଥିବା ସୂଚନା ମିଳିଛି। ଏହା ସହିତ, ସେମାନେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ମଧ୍ୟ ଲିଖିତ ପତ୍ର ପ୍ରଦାନ କରି ନିଜ ଅଞ୍ଚଳରେ ରହିବା ସୁଯୋଗ ଓ ଜମି ପଟ୍ଟା ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି। ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବାସିନ୍ଦାମାନେ ଦାବି କରିଛନ୍ତି।
ଏହି ଘଟଣା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ, ସରକାରୀ ଅଧିକାରୀମାନେ ଏହାକୁ ଏକ ନିୟମିତ ସର୍ଭେ ବୋଲି ଦାବି କରୁଛନ୍ତି। ପରିସ୍ଥିତି ସ୍ପଷ୍ଟ କରିବା ଓ ବାସିନ୍ଦାଙ୍କ ଆଶଙ୍କା ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ଯୋଗାଯୋଗ ଓ ସମାଧାନର ଆବଶ୍ୟକତା ରହିଛି।