
ମାଲକାନଗିରି, ୫/୯: ଜାତୀୟ ସ୍ତରରେ ଶିକ୍ଷକ ଦିବସ ୨୦୨୫ ପାଳନ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ ପାଇବା ପାଇଁ ଚଳିତ ବର୍ଷ ଦେଶରେ ମୋଟ ୪୫ ଜଣ ମନୋନିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନଜନକ ସର୍ବଭାରତୀୟ ପୁରସ୍କାର ପ୍ରଦାନ କରାଯାଇଛି ।
ତନ୍ମଧ୍ୟରୁ ଓଡ଼ିଶା ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ମାଲକାନଗିରି ଜିଲ୍ଲା କୋଣ୍ଡେଲର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଅଭିନବ ଶିକ୍ଷାଦାନ ପଦ୍ଧତି ପାଇଁ ଶିକ୍ଷକ ବସନ୍ତ କୁମାର ରାଣାଙ୍କୁ ଏବଂ କୋରାପୁଟର ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତ ତରୁଣ କୁମାର ଦାଶଙ୍କୁ ସାମଗ୍ରିକ ଛାତ୍ର ବିକାଶ ପ୍ରତି ତାଙ୍କର ଉତ୍ସର୍ଗୀକୃତ ଅବଦାନ ପାଇଁ ଏହି ୨ ଜଣ ଅସାଧାରଣ ଶିକ୍ଷକଙ୍କୁ ପ୍ରଶଂସା ସହ ଏହି ସମ୍ମାନଜନକ ସର୍ବଭାରତୀୟ ପୁରସ୍କାର ଗୁରୁ ଦିବସ ଉପଲକ୍ଷେ ପ୍ରଦାନ କରାଯାଇଛି।
ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମବାର୍ଷିକୀରେ ଏହି ପୁରସ୍କାରଗୁଡ଼ିକ ୦୫ ସେପ୍ଟେମ୍ବର, ୨୦୨୫ ଶିକ୍ଷକ ଦିବସରେ ଭାରତର ମହାମହିମ ରାଷ୍ଟ୍ରପତି ସମ୍ମାନନୀୟା ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ପୁରସ୍କାର ପ୍ରଦାନ ସମାରୋହରେ ସମସ୍ତ କୃତି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଦାନ କରାଯାଇଛି ।
ପ୍ରତ୍ୟେକ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ଯୋଗ୍ୟତାର ପ୍ରମାଣପତ୍ର,୫୦ ହଜାର ଟଙ୍କା ନଗଦ ,ଉପଢୌକନ ଏବଂ ଏକ ରୌପ୍ୟ ପଦକ ଦେଇ ସମ୍ମାନିତ କରାଯାଇଛି।
୨୦୨୫ ମସିହାର ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ୪୫ ଜଣ ଶିକ୍ଷକଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ ବସନ୍ତ କୁମାର ରଣା ଏବଂ କୋରାପୁଟ ଜିଲ୍ଲାରୁ ତରୁଣ କୁମାର ଦାଶ ଦୁଇଜଣ ଅସାଧାରଣ ଶିକ୍ଷକ ଓଡ଼ିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ବେଳେ ଶୈକ୍ଷିକ ମହଲରେ ନୂତନ ଉତ୍ସାହ ଦେଖାଦେବା ସହିତ ଶୁଭେଚ୍ଛାର ସୁଅ ଛୁଟିଛି।